ଲାଞ୍ଚ ଦାବି କରୁଥିବା ଅଡିଓ ଭାଇରାଲ ଘଟଣା : ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ପହଞ୍ଚିଲେ



କେନ୍ଦ୍ରାପଡ଼ା,୧୦ା୪: କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ଲାଞ୍ଚ ମାଗୁଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ ମଦ ଦୋକାନୀଙ୍କୁ ଲାଇସେନ୍ସ ରିନ୍ୟୁଆଲ ନିମନ୍ତେ ଲକ୍ଷାଧିକ ଟଙ୍କା ଲାଞ୍ଚ ଦାବି କରି ନମିଳିବାରୁ ଦୋକାନ ସିଲ କରିଦେବା ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ରାମଚନ୍ଦ୍ର ମିଶ୍ର ବୁଧବାର ସକାଳେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ତନଖି ଆରମ୍ଭ କରିଥିବା ଦେଖାଯାଇଛି । ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ତାଙ୍କ ବିଭାଗର ଜନୈକ କର୍ମଚାରୀଙ୍କ ସହ ମଦ ଦୋକାନର ଲାଇସେନ୍ସ ରିନ୍ୟୁଆଲ କରିବା ପାଇଁ ସଂପୃକ୍ତ ଦୋକାନୀଙ୍କ ଠାରୁ ଲାଞ୍ଚ ମାଗିବାକୁ କହୁଥିବା ଭାଇରାଲ ଅଡିଓରେ ରହିଛି । ଏହା ବ୍ୟତିତ ଦୁଇଜଣ ଲାଇସେନ୍ସଧାରୀ ମଦ ଦୋକାନୀଙ୍କ ମଦ ଦୋକାନ ଲାଇସେନ୍ସର ରିନ୍ୟୁଆଲ କରିବା ପାଇଁ ୨ଲକ୍ଷ ଓ ୩ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିବା ନେଇ ସେମାନେ ଅବକାରୀ କମିଶନର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସମସ୍ତ ଅଭିଯୋଗର ତଦନ୍ତ କରିବାକୁ ଅବକାରୀ ବିଭାଗର ଡେପୁଟୀ କମିଶନର ଶ୍ରୀ ମିଶ୍ର ଅବକାରୀ ବିଭାଗର କମିଶନରଙ୍କ ନିର୍ଦେଶରେ କେନ୍ଦ୍ରାପଡା ଆସିଥିବା ଗଣମାଧ୍ୟମକୁ କହିଛନ୍ତି । କିନ୍ତୁ ତଦନ୍ତ ପାଇଁ ଆସିଥିବା ବେଳେ ଅଭିଯୋଗକାରୀ ୨ଜଣଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କ ଉତ୍ତର ଦେବାକୁ ଯାଇ ଡେପୁଟୀ କମିଶନର ଶ୍ରୀ ମିଶ୍ର କହିଥିଲେ ଯେ ସେମାନଙ୍କୁ ଟେଲିଫୋନରେ ଖବର ଦିଆଯାଇଛି । ସେମାନେ ଆସିବେ । କିନ୍ତୁ ଅବକାରୀ କାର୍ଯ୍ୟାଳୟ ଅପରାହ୍ନ ଗୋଟାଏରେ ବନ୍ଦ ହେବା ପର୍ଯ୍ୟନ୍ତ ଅଭିଯୋଗ କାରୀ ପହଞ୍ଚିନଥିବା ଦେଖାଯାଇଥିଲା । କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଅଭିଯୋଗ ସମ୍ପର୍କରେ ପ୍ରଶ୍ନ କରିଥିଲେ ମଧ୍ୟ ସେ ସେଠାରୁ ଲୁଚି ପଳାଇ ଯାଇଥିବା ଦେଖାଯାଇଥିଲା । ଅଧିକ୍ଷକ ଶ୍ରୀ ମିଶ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅନୁଯାୟୀ ବବିତା ମହାନ୍ତି ନାମଙ୍କ ଜନୈକ ବିଦେଶୀ ମଦ ଦୋକାନୀ ୨୦୨୪-୨୫ବର୍ଷ ପାଇଁ ତାଙ୍କ ଦୋକାନର ରିନ୍ୟୁଆଲ କରିବାକୁ ଅନ୍ ଲାଇନରେ ଆବଶ୍ୟକ ସରକାରୀ ଦେୟ ପ୍ରଦାନ ସହ ମାର୍ଚ୍ଚମାସ ୩୧ତାରିଖରେ ରସିଦ ଓ କାଗଜପତ୍ର ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ପେମେଣ୍ଟ ଅବକାରୀ ସାଇଡରେ ଦେଖାଯାଉନଥିବାର ଆଳ ଦେଖାଇ ମଦଦୋକାନକୁ ସିଲ କରିଦେଇଥିବା ଅଭିଯୋଗ ହୋଇଥିଲା । ବବିତା ତାଙ୍କ ଆକାଉଁଣ୍ଟ ଷ୍ଟେଟମେଣ୍ଟ ଦେଖାଇବା ପରେବି କୈାଣସି ପଦକ୍ଷେପ ନିଆନଯିବାରୁ ବବିତା ପୁନର୍ବାର ଚଳିତମାସ ୩ତାରିଖରେ ସରକାରୀ ଦେୟ ଅନ୍ ଲାଇନରେ ଜମା କରି ରସିଦ ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ତାଙ୍କ ଦୋକାନରୁ ସିଲ ଖୋଲା ଯାଇନଥିବା ସେ ଜିଲ୍ଲାପାଳ ଓ ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାବ୍ୟତିତ ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ଦୋକାନ ପିଛା ଲାଇସେନ୍ସ ରିନ୍ୟୁଆଲ ବାବଦକୁୁ ଏକଲକ୍ଷ ଟଙ୍କା ଦାବି କରୁଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଏହାବ୍ୟତିତ ଆଶିଷ ମିଶ୍ର ନାମକ ଅନ୍ୟଜଣେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପିତା ଚିତ୍ତରଞ୍ଜନ ମିଶ୍ରଙ୍କ ନାମରେ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇରେ ଦୁଇଟି ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ରହିଛି । ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଦୃଷ୍ଟିରୁ ଦୋକାନ ଦୁଇଟିର ଲାଇସେନ୍ସ ତାଙ୍କ ନାମକୁ ସ୍ଥାନାନ୍ତର ନିମନ୍ତେ ଅବକାରୀ ଅଧିକ୍ଷକ ୩ଲକ୍ଷ ଟଙ୍କା ଲାଞ୍ଚଦାବି କରିଥିଲେ । ଏହାପରେ ଅଧିକ୍ଷକ ମାସିକିଆ ୩୦ହଜାର ଟଙ୍କା ଲାଞ୍ଚି ନଦେଲେ ଦୋକାନ ସିଲ କରିଦେବେ ବୋଲି ତାଙ୍କୁ ଧମକାଉଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ଦୋକାନର ଲାଇସେନ୍ସ ରିନ୍ୟୁଆଲ ପାଇଁ ଆଶିଷ ଗତ ମାର୍ଚ୍ଚମାସ ୩୦ତାରିଖରେ ଅନ୍ ଲାଇନରେ ଦରଖାସ୍ତ ଓ ସରକାରୀ ଦେୟ ଦାଖଲ କରି ରସିଦ ଓ ଆବେଧନ ପତ୍ର ଅବକାରୀ ଅଧିକ୍ଷକଙ୍କୁ ପାଖରେ ଦାଖଲ କରିଥିଲେ । କିନ୍ତୁ ଅଧିକ୍ଷକ ପେମେଣ୍ଟ୍ ଅନଲାଇନରେ ଶୋ କରୁନଥିବାର ଆଳ ଦେଖାଇ ତାଙ୍କ ଦୋକାନ ସିଲ କରିଦେଇଥିଲେ । ଆଶିଷ ତାଙ୍କର ଆକାଉଁଣ୍ଟ ଷ୍ଟେଟମେଣ୍ଟ ଅଧିକ୍ଷକଙ୍କୁ ଦେଖାଇ ନିରାଶ ହେବା ପରେ ପୁଣିଥରେ ଚଳିତମାସ ୨ତାରିଖରେ ସରକାରୀ ଦେୟ ପଇଠ କରି ରସିଦ ସହ ଅଧିକ୍ଷକଙ୍କୁ ଭେଟି ତାଙ୍କ ଦୋକାନ ଦୁଇଟିର ସିଲ ଖୋଲିଦେବାକୁ ନିବେଦନ କରି ବିଫଳ ହେବାରୁ ସେ ଜିଲ୍ଲାପାଳ ଓ ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ ନାମରେ ଏଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ଓ ଲାଞ୍ଚ ମାଗୁଥିବା ଅଡିଓ ଭାଇରାଲ ହେବା ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗର ଡେପୁଟୀ କମିଶନର କେନ୍ଦ୍ରାପଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦେଖାଯାଉ ଆଗକୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ।


Discover more from

Subscribe now to keep reading and get access to the full archive.

Continue reading