କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ କଳା, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ଆମ ସମ୍ପର୍କ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ଅବସରରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ମହାବିଷୁବ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଅତୁଳ ବଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ପ୍ରତିଷ୍ଠିତ ସାହିତ୍ୟିକା ଡ଼ ପ୍ରତିଭା ମହାରଥୀ ମୁଖ୍ୟଅତିଥି, ପ୍ରଫେସର ଦେବବ୍ରତ ପ୍ରଧାନ, ନାଟ୍ୟକାର ଅଧ୍ୟାପକ ଗୋଲକ ମହାରଣା ଓ ରଞ୍ଜନ ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଗୌରବମୟ କଳା ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ସବୁ ସ୍ତରରେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ସମ୍ପାଦକ ଦେବ ପ୍ରସାଦ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଗାଳ୍ପିକ ପ୍ରଦୀପ ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଅପରାହ୍ନ ଅଧିବେଶନରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ସଚିତ୍ର ବେହୁରା ଓ ରଶ୍ମିତା ସେନାପତିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ବହୁ କବି କବୟିତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ । ଉଦଯାପନୀ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକା ଡ଼ ଋତୁପର୍ଣ୍ଣା ମହାନ୍ତି ମୁଖ୍ୟଅତିଥି, ନାଟ୍ୟକାର ଚିନ୍ମୟ ଦାସ ମୁଖ୍ୟବକ୍ତା ଓ ନୀଳାଦ୍ରି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ନାଟ୍ୟକାର ଚିନ୍ମୟ ଦାସ, କବି ସନ୍ନିଭା ମିଶ୍ରଦାଶ,କଥାକାର ବନମାଳୀ ସେନାପତି, କବି ନାରାୟଣ ରାଉଳ, ସମବାୟବିତ ବ୍ରଜବନ୍ଧୁ ଦାଶ, ମଂଚ ଅଭିନେତା ଉମାକାନ୍ତ ତ୍ରିପାଠୀ ଓ ସଂଗୀତ ଗୁରୁ କୃପାସିନ୍ଧୁ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଣ୍ଡିଆଗଡି କଳାକାରମାନେ ଘୋଡା ନାଚ ପ୍ରଦର୍ଶନ କରିଥିଲେ । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକର ବହୁ କବି ସାହିତ୍ୟିକ, କଳାକାର ଓ ସଂସ୍କୃତିପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ ।