ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧବାର୍ଷିକୀ ପାଳିତ : ବିଜୁବାବୁଙ୍କ ଜୀବନୀ ଆଧୁନିକ ଓଡିଶା ବିକାଶର ଇତିହାସ-ଧ୍ରୁବ ସାହୁ



ଓଡିଶାର ବରପୁତ୍ର, ପ୍ରବାଦ ପୁରୁଷ, ମହାନ ଜନନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବିଜୁ ଜନତା ଦଳ ତରଫରୁ ବୁଧବାର ସ୍ଥାନୀୟ ହରପାର୍ବତୀ ମନ୍ଦିର ଠାରେ ଅନୁଷ୍ଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଯୋଗ ଦେଇ କହିଛନ୍ତି ଯେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିନିଧିତ୍ୱ କରିଥିବା ରାଜନଗର ଆସନରେ ଜନସାଧାରଣଙ୍କ ଆଶୀର୍ବାଦରୁ ବିଧାୟକ ହେବାର ସୌଭାଗ୍ୟ ଓ ଗୌରବ ପାଇଛି । ବିଜୁଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ କ୍ଷେତ୍ରରେ ଇତିହାସ ସୃଷ୍ଟି ହେବା ସହିତ ସମଗ୍ର ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡି଼ଶା ବିକାଶର ଇତିହାସ । କୃଷିରୁ ଶିଳ୍ପ, ଶିକ୍ଷାରୁ ସଶକ୍ତୀକରଣ ସବୁ କ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି । ସେ ତାଙ୍କ ସମୟ ଠାରୁ ବହୁତ ଆଗରେ ଥିଲେ । ଶିଳ୍ପ ବିକାଶ ହେଉ ବା ଭିତ୍ତିଭୂମି, ଗରିବ ଲୋକଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ସେ ଦୂରଦ୍ରଷ୍ଟା ପରି କାମ କରୁଥିଲେ । ବିଶେଷ କରି ତାଙ୍କ ମହିଳା ସଶକ୍ତୀ କରଣ କାର୍ଯ୍ୟକ୍ରମ ସଶକ୍ତ ଓଡି଼ଶାର ଲକ୍ଷ୍ୟକୁ ସୁଦୃଢ଼ କରିଛି । ଜଣେ ଓଡ଼ିଆ ଭାବରେ ଗର୍ବ କରୁଥିବା ବିଜୁବାବୁଙ୍କ ପାଇଁଆଜି ଓଡ଼ିଆ ଜାତି ଗର୍ବିତ । ସାହସ ଓ ସ୍ୱାଭିମାନ ତାଙ୍କ ପରିଚୟ, ସେବା ଓ ସଂଗ୍ରାମ ଜୀବନର ବ୍ରତ ଥିଲା । ଓଡି଼ଶା ପାଇଁ ଓଡ଼ିଆ ଜାତିର ଉନ୍ନତି ତଥା ଗୌରବ ପାଇଁ ସେ ସବୁ କିଛିତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ସେ କିହିଥିଲେ ବିଜୁବାବୁ ଜଣେ ରାଜନେତା ନୁହେଁ, ପରିବାରର ମୁରବୀ ପରି ଓଡି଼ଶାବାସୀଙ୍କ ପାଇଁ  କାମ କରୁଥିଲେ । ରାଜନୀତିରେ ହାରଜିତ ତାଙ୍କ ପାଇଁ ଗୁରୁତ୍ୱ ନ ଥିଲା । ଓଡି଼ଶା ଓ ଓଡି଼ଶାବାସୀଙ୍କ ସ୍ୱାର୍ଥ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଥିପାଇଁ ସେ ସବୁ ବେଳେ ଓଡି଼ଶାବାସୀଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ବୋଲି ବିଧାୟକ କହିଛନ୍ତି ।

ଏହି ସଭାରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତୀ ସ୍ୱାଇଁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବ୍ଲକ ବିଜେଡି ଉପସଭାପତି ସୁବାସ ଦାଶ ଓ ଅରକ୍ଷିତ ସାହୁ, ବରିଷ୍ଠ ବିଜେଡି ନେତା ଯଦୁମଣୀ ଦାସ, ଅମୁଲ୍ୟ ପ୍ରଧାନ, କାଉନସିଲର ଲାସ୍ୟମୟୀ ସାହୁ ପଂଚାନନ ଧଳ, ଅବିନାଶ ଲେଙ୍କା ପ୍ରମୁଖ ଭାଷଣ ଦେଇ ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକ ସାହସିକତା ଓ ସ୍ୱାଭିମାନର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ସେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଯେଉଁ ନକ୍ସା ଆଙ୍କିଥିଲେ , ତାକୁ ଆମେ ସମୟର ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛୁ । ଗରିବି ହଟାଓ ଅଭିଯାନ କ୍ଷେତ୍ରରେ ବିଜୁବାବୁ ସର୍ବଦା ସ୍ମରଣୀୟ ରହିବେ ବୋଲି ମତ ଦେଇ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରବା ସହିତ ୨୦୨୪ ସାଧାରଣ ନିର୍ବାଚନରେ ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରିୟ ନେତା ବିଧାୟକ ପାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡା ସାଂସଦ ପାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟ କରିବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ । ସଭା ଆରମ୍ଭରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ, ଧୂପ,ଦୀପ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରତ୍ୟୁଷରେ ବାଇପାସ ଛକ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯିବା ସହିତ ଦେବଦେବୀ ପୀଠରେ ଦୀପ ଦାନ ଓ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ , ପୌରପରିଷଦର ସମସ୍ତ ନିର୍ବାଚିତ ପ୍ରତିନିଧି, ଛାମୁଆ ବିଜେଡି କର୍ମୀ , ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading