କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପାରଦ ଉପରମୁହାଁ ହୋଇ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ପୌରାଂଚଳରେ ପାନୀୟଜଳ ସଙ୍କଟ ଦେଖାଦେଇଛି । ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକ ସମ୍ପ୍ରତି ଏକ ଅସ୍ଥାୟୀ ବସଷ୍ଟାଣ୍ଡରେ ପରିଣତ ହୋଇଥିବାରୁ ପ୍ରତ୍ୟହ ହଜାର ହଜାର ଲୋକ ବସ ଯୋଗେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ କରୁଛନ୍ତି । ଏଠାରେ ପାନୀୟଜଳ ବ୍ୟବସ୍ଥା ନଥିବାରୁ ଯାତ୍ରୀ ଓ ସାଧାରଣ ଲୋକମାନେ ନାହିଁନଥିବା ଦୁର୍ଦଶା ଭୋଗ କରୁଛନ୍ତି । ଏହାଛଡା ପଟ୍ଟାମୁଣ୍ଡାଇର ଜୀବନ୍ତ କିମ୍ବଦନ୍ତୀ କଚେରୀ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । କଚେରୀ ପୋଖରୀ ସଂପୂର୍ଣ୍ଣ ଶୁଷ୍କ ପଡିଥିବାରୁ ଏହା ଉପରେ ସ୍ନାନ ପାଇଁ ନିର୍ଭର କରୁଥିବା ଜନସାଧାରଣ ଓ ପାଣି ପିଇବା ପାଇଁ ପଶୁ ପକ୍ଷୀମାନେ ମଧ୍ୟ ହଇରାଣ ହେଉଛନ୍ତି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ବରିଷ୍ଠ ସମାଜସେବୀ ନୃସିଂହ ପ୍ରସାଦ ଚୌଧୁରୀ, ବ୍ରଜେନ୍ଦ୍ର ବର୍ମା ଓ ଗୌରାଙ୍ଗ ଦାଶ ପ୍ରମୁଖ ପୌର ନିର୍ବାହୀ ଅଧିକାରୀ ଅଜିତ ଗିରିଙ୍କୁ ଭେଟି ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ପାର୍କ, ପଟ୍ଟାମୁଣ୍ଡାଇ ପୋଲ ପାଖ ରାଜନଗର ବସଷ୍ଟାଣ୍ଡ, ମେଡିକାଲ ଛକ ଠାରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବା ଓ କଚେରୀ ପୋଖରୀ କାର୍ଯ୍ୟକ୍ଷମ କରି ପାଣି ଛାଡିବା ପାଇଁ ଦାବୀ କରିଥିଲେ ।