ଶତ ପ୍ରତିଶତ ଭୋଟ୍‌ଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅନନ୍ୟ ପ୍ରୟାସ



କେନ୍ଦ୍ରାପଡ଼ା, ୨୭ା୪: ଶତ ପ୍ରତିଶତ ଭୋଟଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅନନ୍ୟ ପ୍ରୟାସ ଜାରି ରହିଛି । କେବେ ଡଙ୍ଗାରେ ନଦୀ ପାର ହୋଇ ଘରକୁ ଘର ବୁଲି ଭୋଟରଙ୍କୁ ସଚେତନ କରୁଛନ୍ତି ତ ଆଉ କେବେ ଜଳ ସେବା କେନ୍ଦ୍ର ମାଧ୍ୟମରେ ମତଦାତାଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଉଛନ୍ତି । କିନ୍ତୁ ଆଜି ଆଉ ଏକ ନିଆରା ଢଙ୍ଗରେ ମତଦାନ କରିବାକୁ ଭୋଟର୍‌କୁ ନିବେଦନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିକାଶ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତୀକାତ୍ମକଭାବେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ୫ଜଣ ଭୋଟରଙ୍କୁ ଗୋଲଡେନ୍ ଗ୍ରାସ୍‌(କାଇଁଚ)ରେ ପ୍ରସ୍ତୁତ ମୋମେଂଟୋ ପ୍ରଦାନ କରି କହିଛନ୍ତି “ଆମ ଜିଲ୍ଲାର ସମସ୍ତ ଭୋଟର୍ ଚଳିତ ନିର୍ବାଚନକୁ ନିଜର ସୁବର୍ଣ୍ଣ ସ୍ମୃତିରେ ରଖିବା ପାଇଁ ଜୁନ୍ ୧ ତାରିଖରେ ନିଶ୍ଚୟ ଭୋଟଦାନ କରନ୍ତୁ ଓ ସୁସ୍ଥ ଗଣତାନ୍ତ୍ରିକ ଧାରା ବଜାୟ ରଖିବାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ । “ପ୍ରତୀକାତ୍ମକ ସ୍ୱରୂପ ସମାଜର ପ୍ରତ୍ୟେକ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ଜଣେ ଅଶିତିପର ବୟସ୍କ ଭୋଟର, ଭିନ୍ନକ୍ଷମ, ମହିଳା, କିନ୍ନର ଓ ନୂଆ କରି ଭୋଟର୍ ତାଲିକାରେ ପଞ୍ଜୀକୃତ କରିଥିବା ଜଣେ ଯୁବ ଭୋଟରଙ୍କୁ ଏହି ମୋମେଂଟୋ ପ୍ରଦାନ କରିଥିଲା ଜିଲ୍ଲା ପ୍ରଶାସନ । ଭୋଟରଙ୍କୁ ସମ୍ମାନ ପ୍ରଦର୍ଶନ ଜରିଆରେ ପ୍ରତ୍ୟେକ ବର୍ଗର ସମସ୍ତ ଭୋଟର ଆଗେଇ ଆସିବାର ବାର୍ତ୍ତା ମତଦାତାଙ୍କ ନିକଟରେ ପହଂଚାଇବା ସହ ଏହା ମାଧ୍ୟମରେ ଇନ୍‌କ୍ଲୁସିଭ୍ ଇଲେକ୍ସନ୍ ବା ଅନ୍ତର୍ଭୁକ୍ତିକରଣ ନିର୍ବାଚନର ଆହ୍ୱାନ ରଖିଛି ଜିଲ୍ଲା ପ୍ରଶାସନ । ମୋମେଂଟୋରେ ଲେଖା ଅଛି “ମୋ ଭୋଟ୍ ମୋ କର୍ତ୍ତବ୍ୟ ।” ଏହି କର୍ତ୍ତବ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବାକୁ ହେଲେ ଆମକୁ ନିଶ୍ଚିତରୂପେ ଜୁନ୍ ୧ ତାରିଖରେ ଭୋଟ୍ ଦେବାକୁ ହେବ । ଏ ଭୋଟ୍ ଅବାଧ, ନିରପେକ୍ଷ, ପ୍ରଲୋଭନମୁକ୍ତ ଓ ବିବେକାନୁମୋଦିତ ହେବା ଜରୁରୀ । ଯୋଗ୍ୟ ପ୍ରତିନିଧି ବାଛି ନିଜ ନାଆର ନିଜେ ନାଉରୀ ଅଥବା ନିଜର ଭାଗ୍ୟ ନିଜେ ଲେଖିବା ପାଇଁ ଜୁନ୍ ୧ରେ ଆମକୁ ସୁନିଶ୍ଚିତ କରିବାକୁ ହେବ ଆମର ଭୋଟ୍ । ଏହି ମୋମେଂଟୋ ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଟର କୁଇନ୍ ଜେନା, ଡକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ପୈାରନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading