କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଚଳନ୍ତା କାରରେ ହଠାତ ନିଆଁ ଲାଗି ଜଳିଯାଇଛି । କାର ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାରେ ଯାଉଥିବା ବେଳେ କଷଣଅଂଟା ନିକଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିବା ପରେ ଗାଡ଼ିର ଡ୍ରାଇଭର ଗାଡିରୁ ବାହାରି ପଡ଼ିଥିଲେ । ଧୀରେ ଧୀରେ ଗାଡ଼ିଟି ବେଶି ବେଶି ଜଳିବାକୁ ଲାଗିଥିଲା । ତେବେ, ଅଗ୍ନିକାଣ୍ଡ କିପରି ଘଟିଛି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ ରବିବାର ଅପରାହ୍ନ ୧୨ଟା ସମୟରେ କଟକରୁ ଆଳି ଯାଉଥିବା ଓଆର ୦୨ବିଡି ୩୯୯୨ ନାମକ ଏକ କାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ସ୍ମଶାନ ନିକଟରେ ହଠାତ କାର ଇଂଜିନରୁ ଧୂଆଁ ବାହାରିଥିଲା । ତେବେ ବିପରୀତ ଦିଗ ଆଳିରୁ ପଟ୍ଟାମୁଣ୍ଡାଇ ଯାଉଥିବା ଏକ କାର ଚାଳକ ଏହା ଦେଖି ସମ୍ପୃକ୍ତ କାର ଚାଳକଙ୍କୁ ଇସାରା ଦେବା ପରେ ସଙ୍ଗେ ସଙ୍ଗେ କାର ଚାଳକ ଓ କାରରେ ଥିବା ଯାତ୍ରୀ କାରରୁ ଓହ୍ଲଇ ପଡ଼ିଥିଲେ । ଏହା ପରେ ଆଖି ପିଛୁଳାକେ କାରଟି ଜଳି ଯାଇଥିଲା । ତେବେ କାରରେ ହଠାତ ନିଆଁ ଲାଗିବାର ସଠିକ କାରଣ ଜଣାପଡିନାହିଁ ।