ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ



କେନ୍ଦ୍ରାପଡ଼ା,୨୨ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ ଅବସରରେ ଶନିବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ କଳାକାରମାନେ ସମାଜରେ ଏକ ମୁଖ୍ୟ ଭୂମିକା ନିଭାଇଥାନ୍ତି। କାରଣ ମନୁଷ୍ୟ କେବଳ କର୍ମ କଲେ ବାସ୍ତବ ଖୁସି ପାଇପାରିବ ନାହିଁ। ମନୁଷ୍ୟ ମନରେ କଳାକାରଙ୍କ ଅଭିନୟର ପ୍ରଭାବ ପଡିଥାଏ। ବିଭିନ୍ନ ଅଭିନୟ ଦେଖିବା ଦ୍ୱାରା ମନୁଷ୍ୟର ମନ ହାଲୁକା ହୋଇଥାଏ। ଯାହା ମନୁଷ୍ୟକୁ ମାନସିକ ଶାନ୍ତି ଦେଇଥାଏ। ତେଣୁ କଳାକାର ମାନଙ୍କୁ ଆମ ସମାଜ ଗୁରୁତ୍ୱ ପ୍ରଦାନ କରିବା ଉଚିତ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ସ୍ନାୟୁଶଲ୍ୟ ବିଭାଗ ପ୍ରଫେସର ଡାକ୍ତର ରବିନାରାୟଣ ପଣ୍ଡା ଯୋଗଦେଇ ସମାଜରେ ଘଟୁଥିବା ବିଭିନ୍ନ ଚିତ୍ରକୁ କଳାକାର ମାନେ ସେମାନଙ୍କ ଅଭିନୟ ଦ୍ୱାରା ଲୋକଲୋଚନକୁ ଆଣିଥାନ୍ତି। ଫଳରେ ଲୋକମାନେ ସେମାନଙ୍କ ମାଧ୍ୟମରେ ବିଭିନ୍ନ ଶିକ୍ଷା ପାଇଥାନ୍ତି। ଏହି ଶିକ୍ଷା ଦ୍ୱାରା ମନୁଷ୍ୟ ନିଜ ଜୀବନ ଯାତ୍ରାକୁ ଆଗେଇ ନେଇଥାଏ ବୋଲି ଡା. ପଣ୍ଡା କହିଥିଲେ। ସମ୍ମାନିତ ଅତିଥି ଭାବେ କଂଗ୍ରେସର ରାଜ୍ୟ ସମ୍ପାଦିକା ସଶ୍ମିତା ପଣ୍ଡା, ଜଗତସିଂହପୁରର ପାଲାଗାୟକ ନାରାୟଣ ମହାରଣା ଓ ଆଠଗଡର ପାଲା ଗାୟକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଦେବରିତୀ ରାଉତ, ପାଲାଗାୟକ ଶ୍ରୀଧର ସାହୁ, ଶିକ୍ଷକ ସୀତାକାନ୍ତ ରାଉଳ, ପାଲାଗାୟକ ଚିନ୍ମୟ ଦାସ, ସମାଜସେବୀ ପ୍ରଶାନ୍ତ ବିଶ୍ୱାଳ ଓ କେଦାରନାଥ ପରିଡା ପ୍ରମୁଖ ୧୦ଜଣଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଗଗନବିହାରୀ ସିଂହ ମହୋତ୍ସବର ଉଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ବିବରଣୀ ପାଠ ଓ ପ୍ରବଚକ ନିରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଉପସଭାପତି ସବିତା ବରଜ, ସାଂସ୍କୃତିକ ସମ୍ପାଦକ ବାବାଜି ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଦେବେନ୍ଦ୍ର କୁମାର ଦାସ, ପ୍ରଫୁଲ୍ଲ ଦାସଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୬୨ଟି ସାଂସ୍କୃତିକ ଦଳ ଭଜନ, ଜଣାଣ, ସଂକୀର୍ତ୍ତନ, ଘୋଡାନାଚ, କେନ୍ଦରାଗୀତ, ଖଞ୍ଜଣୀ ଭଜନ, ସଖୀନାଟ, ଓଡିଶୀନୃତ୍ୟ, ଏକତାରା ଭଜନ, ଦାସକାଠିଆ ଓ ପାଲା ପ୍ରଭୃତି ପରିବେଷଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading