ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରମାଗତ ଭାବେ ହ୍ରାସ ପାଉଛି ଚାଷଜମି,କିସମ ପରିବର୍ତନ ହୋଇ ହେଉଛି ଘରବାଡି


କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ହଜାର ହଜାର ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡି ହୋଇ କୃଷିକ୍ଷେତ ହ୍ରାସ ପାଇଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି । ଫଳରେ ଚାଷୀ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି ହେବ ।

ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କୁହନ୍ତି, କୃଷି ବିଭାଗ ରିପୋର୍ଟ ଅନୁଯାଇ ୨୦୧୭-୧୮ ରେ ପଟ୍ଟାମୁଣ୍ଡାଇ ଅଂଚଳରେ ୧୫ ହଜାର ୬୫୦ ହେକ୍ଟର ଜମିରେ ଚାଷ ହେଉଥିଲା । ୨୦୨୨–୨୩ରେ କୃଷି ବିଭାଗ ରିପୋର୍ଟରେ ୧୧ହଜାର ୩୯୨ ହେକ୍ଟର ଜମିରେ ଚାଷ ହେଉଛି । ଅର୍ଥାତ୍ ୫ ବର୍ଷ ମଧ୍ୟରେ ପାଖାପାଖି ୪ ହଜାର ୨୫୮ ହେକ୍ଟର ଚାଷ ଜମି ହ୍ରାସ ପାଇଛି । ଅର୍ଥାତ୍ ବର୍ଷକୁ ୬୦୦ ହେକ୍ଟର ଚାଷ ଜମି କମୁଛି । ଯଦି ଏହି ଧାରାରେ ଜମି ହ୍ରାସ ପାଇଚାଲେ ତା’ହେଲେ ୫୦/୬୦ ବର୍ଷ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପ୍ ପାଇଯିବ । ଅପରପକ୍ଷରେ, ପ୍ରତି ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ଓ ଘର ପାଇଁ ଆବଶ୍ୟକ ଜମିକୁ ଅନୁଶୀଳନ କଲେ ଆଗାମୀ ୨୦/୩୦ ବର୍ଷ ମଧ୍ୟରେ ଏହି ସ୍ଥିତି ଆସି ପହଁଚିଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ବୁଦ୍ଧିଜୀବୀ ପ୍ରବିର ନାୟକ କୁହନ୍ତି ଚାଷ ଜମି ଯେଉଁଭଳି ଭାବେ ହ୍ରାସ ପାଉଛି ସେଥିରେ ପ୍ରଥମ ଚରଣରେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ଜମି ରହିଛି । ପଟ୍ଟାମୁଣ୍ଡାଇ ପୌରାଂଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଆଁ ହୋଇଛି । ବିଶେଷକରି ପୌରାଂଚଳର ପୋଖରିଆପଡା, ବେଲତଳ, ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ୧୪ ନଂ କେନାଲଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱରେ ଥିବା ଚାଷଜିମିର କିସମ ପରିବର୍ତନ ହୋଇ ଘରସବୁ ଗଢ଼ିଉଠୁଛି । ଏହାଦ୍ୱାରା ଚାଷ ଜମି ହ୍ରାସ ପାଉଛି ବୋଲି ସେ କହିଛନ୍ତି ।

ଆଇନଜୀବୀ ଭବାନି ପଣ୍ଡା କୁହନ୍ତି , ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ । ଫଳରେ ଉକ୍ତ କେନାଲକୁ ଜଳସମ୍ପଦ ବିଭାଗ ମୃତ ଘୋଷଣା କଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରିଦିଆଯାଇଛି ।ମାତ୍ର ବିଭାଗର ଅଗୋଚରରେ ଏହାର ଉଭୟ ପାଶ୍ୱର୍ରେ ଥିବା ଚାଷଜମି ସବୁ ଘରବାଡି କିସମରେ ପରିଣତ ହୋଇ କୋଠାବାଡି ହୋଇ ସହରରେ ପରିଣତ ହୋଇଛି । ପୌରାଂଚଳରେ ପୋଖରିଆପଡା କେନାଲ ପାଖ ଜମି ସବୁ କୋଠା ବାଡ଼ିରେ ପରିଣତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାଶ୍ୱର୍ର ଜମି ସବୁ କୋଠାବାଡି ହୋଇସାରିଛି । ପୁନଶ୍ଚ ପଟ୍ଟାମୁଣ୍ଡାଇ ଜଳସମ୍ପଦ ଅଫିସଠାରୁ ପହରାଜପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱରେ କୋଠାବାଡ଼ି ହୋଇସାରିଛି । ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ପୋତା ଗୋବରୀ ନଦୀର ଦୁଇପାର୍ଶବ ଜମିକୁ ଚଂଚକତାରେ ଘରଦ୍ୱାର କରିଚାଲିଛନ୍ତି । ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ବୋଲି ସେ କହିଛନ୍ତି ।


ଶିକ୍ଷାବିତ୍ ପ୍ରଫୁଲ୍ଲ ଦାଶ କୁହନ୍ତି ଏମ୍‌ଏନ୍ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲ ଠାରୁ ମଦନପୁର କଲେଜ ପର୍ଯ୍ୟନ୍ତ ଦୁଇପାଶ୍ୱର୍ ଜମିରେ କୋଠାବାଡ଼ି ଗଢ଼ି ଉଠୁଛି । ଗ୍ରାମାଂଚଳରେ ମଧ୍ୟ ଏହି ଧାରାରେ ଜମିର କିସମ ପରିବର୍ତନ ହୋଇ କୋଠାବାଡି ଗଢା ହୋଇଚାଲିଛି । ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଁଚି୍‌ଛି । ଏହି ଅଂଚଳରେ ଜଣେ ସାଧାରଣ ଚାକିରିଆ ଓ ନିମ୍ନମଧ୍ୟବିତ ପରିବାର ନିମନ୍ତେ ଘର ଖଣ୍ଡିଏ ପାଇଁ ଜମି କିଣିବା ପ୍ରାୟତଃ ସାତସପନ । ପଟ୍ଟାମୁଣ୍ଡାଇ ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି । ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି । ଫଳରେ ଜମିମାଲିକ ମାନେ ଜମିକୁ ପଡିଆ ରଖିବା ସହିତ ଘରବାଡି କରିଦେଉଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳ ରାସ୍ତାଗୁଡିକର ଦୁଇପାର୍ଶବରେ ଥିବା ନୟନଯୋରି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ଫଳରେ ଉଭୟ ପାର୍ଶବ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି । ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଏବାବଦରେ ତହସିଲଦାର ଦିଲ୍ଲିପ ସେଠୀଙ୍କୁ ପଚାରିବାରେ ଜମିବାଦିରୁ ଘରବାଡି ନ କରାଇବା ପାଇଁ ସେପରି କିଛି ସରକାରୀ ନିୟମ ଆସିନାହିଁ ବୋଲି କହିଥିଲେ ।


Next Post

ପଟ୍ଟାମୁଣ୍ଡାଇ ପିଇଓ ସଂଘର କଳାବ୍ୟାଚ ପରିଧାନ ଓ ଆନ୍ଦୋଳନ ଚେତାବନୀ!

Tue Aug 8 , 2023
     ୧୮ ତାରିଖରୁ ସମୂହ ଛୁଟି ପଟ୍ଟାମୁଣ୍ଡାଇ ୭ା୮-ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାମାଂଚଳ ବିକାଶ ଯୋଜନାକୁ ପଂଚାୟତ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀ ପୂରଣ ଦିଗରେ ଉଦାସୀନତା ପ୍ରଦର୍ଶନ କରୁଥିବାରୁ ପିଇଓ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ପିଇଓ ସଂଘ ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ପିଇଓ […]

KANIKA